
ଦିନକୁ ଦିନ ମୟୂରଭଞ୍ଜ ଜିଲ୍ଲାରେ ନିଶା କାରବାର ବଢ଼ି ବଢ଼ି ଚାଲୁଛି । ଯାହା ଯୁବ ସମାଜକୁ କବଳିତ କରିବାରେ ଲାଗିଛି । କେତେବେଳେ ଧଳା ଜହର କାରବାର ହେଉଛି ତ କେତେବେଳେ ଗଞ୍ଜେଇ ଚୋରା ଚାଲାଣ ହେଉଛି । ଏହାରି ଭିତରେ
ମୟୂରଭଞ୍ଜ ପୋଲିସକୁ ମିଳିଛି ବଡ଼ ସଫଳତା । ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଗୋଡେଇ ଗୋଡେଇ ଧରିଲା ପୋଲିସ । 49 ନଂ ଜାତୀୟ ରାଜପଥ ଦୁଆରଶୁଣି ଘାଟି ପଟରୁ ଆସୁଥିବା ହୁଣ୍ଡାଇ କ୍ରେଟା OD05P 3375 ଓ OD02CZ1157 ସୁଇପ ଡିଜାର କାର୍ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ବାଙ୍ଗରିପୋଷି ପୋଲିସ । ତେବେ ସେହି VIP ଦାମୀ କାର ଟି ପୋଲିସକୁ ଦେଖି ଦ୍ରୁତଗତିରେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଘାଟି ରାସ୍ତା ଜାମ ଥିବା ଯୋଗୁଁ ଖସି ପାରି ନ ଥିଲା । ତେବେ ଦାମୀ କାର ସହ 6 ଜଣଙ୍କ ଉପରେ ମାଡି ବସିଥିଲା ପୋଲିସ |
ତେବେ କାର ଭିତରେ ଥିବା ଦୁଇ ଜଣ ହେଉଛନ୍ତି କଟକ ଜିଲ୍ଲା ମାନିଆ ବନ୍ଧ ଥାନା ଅନ୍ତର୍ଗତ କାଶିକିରାଇ ଗ୍ରାମର ସରଙ୍ଗ ଧର ସେଟଙ୍କ ପୁଅ କୁନା ସେଟ ଓ ଅନ୍ୟ ଜଣେ ହେଉଛନ୍ତି ସେହି କଟକ ଜିଲ୍ଲା କାଶିକିରି ଗ୍ରାମର ବଳଭଦ୍ର ପ୍ରଧାନଙ୍କ ପୁଅ ବେଣୁଧର ପ୍ରଧାନ ବୋଲି ପଲିସ ସୂଚନା ଦେଇଛନ୍ତି । ବାଙ୍ଗରିପୋଷି ପୋଲିସ ଥାନାକୁ ଆଣି ଅଟକ ରଖି କାର୍ଟି ଯାଞ୍ଚ କରିବାରୁ କାରର ଡିକି ଭିତରୁ ୧୧୦ କି ଗ୍ରାମ ରୁ ଉର୍ଦ୍ଧ ଗଞ୍ଜେଇ ବାହାରି ଥିଲା । ତେବେ ସମ୍ବଲପୁରରୁ ଗଞ୍ଜେଇ ନେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ମାଡି ବସିଲା ପୋଲିସ । ସମ୍ବଲପୁର ,ବରଗଡ଼ ରୁ ପ୍ରତିଦିନ VIP କାରରେ ମୟୁରଭଞ୍ଜ ଜିଲ୍ଲାର 18 ଓ 49 ନଂ ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗ ,ଝାରଖଣ୍ଡ କୁ ଚାଲାଣ କରାଯାଉଛି କିନ୍ତୁ ପୋଲିସ ଟେର ପାଉ ନ ଥିଲା |


