ଅଟୋକୁ ପିଟିଲା ଟ୍ରାକ୍ଟର,ଦଶ ଜଣ ଆହତ। ଘଟଣା ଘଟିଛି ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ଅଶନନାଳୀ ଗ୍ରାମ ବଡତଇଳା ସାହି ନିକଟରେ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଗାଡ଼ିନେଇ ଫେରାର ହୋଇଯାଇଛି। ଆହତ ମାନେ ସମସ୍ତେ ନିକଟସ୍ଥ ନଳବନ୍ଧ ଗ୍ରାମର ବାସିନ୍ଦା ହୋଇଥିବା ବେଳେ କଣ୍ଢଳ ଗ୍ରାମକୁ ଅଟୋ ଯୋଗେ ଗଜଲକ୍ଷ୍ମୀ ପୂଜା ଦେଖିବାକୁ ଯାଉଥିଲେ। ଅଟୋଟି ଗ୍ରାମ୍ଯ ରାସ୍ତାରେ ଯାଉଥିବା ବେଳେ ବଡତଇଳା ସାହି ନିକଟରେ ସାମନା ପଟୁ ଏକ ଟ୍ରାକ୍ଟର ଗାଡି ଦୃତ ଗତିରେ ଆସି ଧକ୍କା ଦେଇଥିଲା। ଟ୍ରାକ୍ଟର ଧକ୍କାରେ ଅଟୋଟି ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ସେଥିରେ ବସିଥିବା ଦଶ ଜଣ ଆହତ ହୋଇଛନ୍ତି। ଆହତ ସମସ୍ତେ ମହିଳା ଓ ଶିଶୁ ହୋଇଥିବା ବେଳେ ସେମାନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଦେବଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ଯରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଅଟୋ ରେ ବସିଥିବା ସନ୍ଧ୍ୟା ବେହେରା, ଶାନ୍ତିଲତା ବେହେରା, ଅର୍ଣ୍ଣପୂର୍ଣା ସାହୁ, ବିୟୁଟି ବେହେରା ଓ ସାଇ ସାମଲ ଗୁରୁତର ହୋଇଛନ୍ତି ।


