
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ସାରୁଅ ସ୍ଥିତ ଘରୋଇ ସ୍ଟୁଡ଼ିଓରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାଖାପାଖି କୋଟିଏ ଟଙ୍କାର ସମ୍ପତିରେ ନିଆଁ ଲାଗିଥିବା ଜଣାପଡିଛି । ନିଆଁ ଲିଭା କାମରେ ବେଗୁନିଆ ଓ ଖୋର୍ଦ୍ଧାର ଅଗ୍ନିଶମ ବାହିନୀ ନିୟୋଜିତ ଥିବା ଜଣାପଡିଛି । ସୂଚନା ଅନୁଯାୟୀ ସାରୁଅ ଶିଳ୍ପାଞ୍ଚଳରେ ଥିବା ଘରୋଇ ସ୍ଟୁଡିଓର 4ନମ୍ବର ସେଟରେ ଗତକାଲି ବିଳମ୍ବିତ ରାତିରେ ସୁଟିଂ ଶେଷ ହୋଇଥିଲା । କିନ୍ତୁ ଆଜି ସକାଳୁରେ ନିଆଁ ଲାଗିଥିବା ଜଣାପଡିବା ପରେ ପ୍ରଥମେ ବେଗୁନିଆ ଓ ପରେ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାମରେ ଲାଗିଥିଲା । ନିଆଁର ପ୍ରକୋପ ଏତେ ଅଧିକ ରହିଥିଲା ଯେ ଅଗ୍ନିଶମ ବାହିନୀ ଭିତରେ ପଶି ନିଆଁ ଲିଭାଇବା ସମ୍ଭବ ହେଉନଥିଲା । ସ୍ଟୁଡ଼ିଓ ଭିତରେ ଥିବା ସବୁ ସାମଗ୍ରୀ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ଗଣମାଧ୍ୟମକୁ ଭିତରକୁ ଛଡା ଯାଉନଥିବା ବେଳେ ସ୍ଟୁଡ଼ିଓ ଭିତରେ କିଏ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ । ସେହିପରି ସଂସ୍ଥା ପାଖରେ ଫାୟାର ସେଫଟିର ଅନୁସଙ୍ଗିକ ବ୍ୟବସ୍ଥା ଥିଲା କି ନାହିଁ ତାହା ବଡ଼ ପ୍ରଶ୍ନ ପାଲଟିଛି । ବିଶେଷକରି ଏତେବଡ ଅଘଟଣ କିପରି ଘଟିଲା ଏବଂ ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ ତାହା ସ୍ପଷ୍ଟ ହାଇପାରିନାହିଁ ।