ପ୍ରାୟ ୪୦ ଲକ୍ଷରୁ ଅଧିକ ମହିଳାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ‘ସୁଭଦ୍ରା’ ଟଙ୍କା ମିଳିବ। ବର୍ତ୍ତମାନ ସୁଦ୍ଧା ୯୭ ଲକ୍ଷ ମହିଳା ‘ସୁଭଦ୍ରା’ ପାଇଁ ଆବେଦନ କରିଛନ୍ତି।ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ଟଙ୍କା ମିଳିଛି।ମାର୍ଚ୍ଚ ୮ ପୂର୍ବରୁ ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଦୁର୍ଗା ପୂଜାରେ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା କେବେ ଆସିବ ତାକୁ ନେଇ ମହିଳାଙ୍କ ମନରେ ଲାଗି ରହିଥିଲା ଆଶା ଆଶଙ୍କା। ଆଜି ଏହି ଦ୍ୱନ୍ଦ୍ୱ ଦୂର ହୋଇଛି। ଅକ୍ଟୋବର ୯ ତାରିଖରେ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି ।
ଉପମୁଖ୍ୟ କହିଛନ୍ତି, ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ୯ ତାରିଖରେ ହିତାଧିକାରୀଙ୍କୁ ଦିଆଯିବ। ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ। ସେପ୍ଟେମ୍ବର ୭ ତାରିଖ ଯାଏ ଆବେଦନ କରିଥିବା ମହିଳା ୯ତାରିଖରେ ଟଙ୍କା ପାଇବେ। ସୁଭଦ୍ରା ଯୋଜନାରେ ପ୍ରଥମ ଓ କୋଟିଏ ନମ୍ବରରେ ଥିବା ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ ।

ଅନ୍ୟପକ୍ଷରେ E-KYC ପାଇଁ ଟିକେ ସମୟ ଲାଗୁଛି । ତେବେ ମାର୍ଚ୍ଚ ୮ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କିଏ ଆଗ ଓ କିଏ ପରେ ପାଉଛି। କିନ୍ତୁ ସମସ୍ତେ ନିଶ୍ଚିତ ସୁଭଦ୍ରା ଟଙ୍କା ପାଇବେ ବୋଲି ସେ କହିଛନ୍ତି ।