ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧିନ ୧୮ ନଂ ଜାତୀୟ ରାଜପଥ ରଙ୍ଗାମାଟିଆ ଛକରେ ସୋମବାର ସଂନ୍ଧ୍ୟାରେ ମଟରସାଇକେଲ ଦୁର୍ଘଟଣା ଘଟି ବାଇକ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ବୈଶିଙ୍ଗା ଥାନା ଅଧିନ ପଦ୍ମଲାଭପୁର ଗ୍ରାମର ସ୍ୱର୍ଗତ ଶ୍ରୀଧର ମାଝିଙ୍କ ପୁଅ ରାମେଶ୍ୱର ମାଝି ଓରଫ ବାପି। ସୂଚନା ମୁତାବକ ରାମେଶ୍ୱର OD 11Z 1328 ନମ୍ବର ବିଶିଷ୍ଟ ହିର ମୋଟରସାଇକେଲ ଯୋଗେ ଅତ୍ୟନ୍ତ ଦୃତଗତିରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରଙ୍ଗାମାଟିଆ ଛକରେ ରାସ୍ତା ପାର୍ଶ୍ବରେ ସାଇନବୋର୍ଡରେ ପିଟିହୋଇ ଛିଟିକି ପଡିଥିଲେ। ଏଥିରେ ରାମେଶ୍ୱରଙ୍କ ମୁଣ୍ଡରେ ଶକ୍ତ ଧକ୍କା ଲାଗି ଗଭୀର କ୍ଷତ ପୂର୍ବକ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଦୁର୍ଘଟଣାଟି ଏତେ ଶକ୍ତିଶାଳୀ ଥିଲା ଯେ ଘଟଣାସ୍ଥଳରେହିଁ ବାଇକ ଚାଳକ ରାମେଶ୍ୱରଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ରାମେଶ୍ୱର ବୈଶିଙ୍ଗା ବଜାରରୁ ନିଜ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।ଖବର ପାଇ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୈଶିଙ୍ଗା ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ସହିତ ଦୁର୍ଘଟଣାଗ୍ରସ୍ଥ ମୋଟରସାଇକେଲ ଜବତ ପୂର୍ବକ ରାତିରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଙ୍କ ପ୍ରଥମ ସ୍ତ୍ରୀ ଓ ଶିଶୁପୁତ୍ର କିଛିବର୍ଷ ପୂର୍ବେ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ବେଳେ ମୃତ ରାମେଶ୍ୱରଙ୍କ ବାପା ମଧ୍ଯ ମୋଟରସାଇକେଲ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ତେବେ ରାମେଶ୍ୱରଙ୍କ ମୃତ୍ୟୁ ଖବର ପାଇ ଗ୍ରାମରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |

