ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡିଓ ଗୌରାଙ୍ଗ ଘୋଷଙ୍କ ନାଁରେ ହେଉଥିବା ଅପପ୍ରଚାରକୁ ନେଇ ମୁହଁ ଖୋଲିଛି ଜଳେଶ୍ୱର ସରପଂଚ ସଂଘ । କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବିଡିଓଙ୍କୁ ଅଯଥାରେ ବଦ୍ନାମ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଏନେଇ ଉପରିସ୍ଥ ଅଧିକାରୀ ନିକଟରେ ବିଡିଓଙ୍କ ବିରୁଦ୍ଧରେ ଫେରାଦ ହେବା ପ୍ରତିବାଦରେ ଜଳେଶ୍ୱର ସରପଂଚ ସଂଘର କର୍ମକର୍ତ୍ତୀ ମାନେ ମଙ୍ଗଳବାର ଦିନ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରିଛନ୍ତି । ଏହାସହ ଘଟଣାର ତଦନ୍ତ ପାଇଁ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ସଂଘର କର୍ମକର୍ତାଙ୍କ କହିବା ଅନୁସାରେ ବିଗତ ଦିନରେ ବ୍ଲକ୍ ରେ କରାଯାଇଥିବା କାର୍ଯ୍ୟ ରାଜ୍ୟସରକାରଙ୍କ ନିୟମ ଅନୁସାରେ ହୋଇନାହିଁ । କାମ ନ କରି ବିଲ୍ ଉଠାଣ କରିବା, ନିମ୍ନ ମାନର କାର୍ଯ୍ୟ କରିବା, ମରାମତି ନ କରି ବିଲ୍ ପଇଠ କରିବା ଠିକାଦାର ମାନଙ୍କୁ ବିଲ୍ ପଇଠ ନ କରିବା ଭଳି କାର୍ଯ୍ୟ ହୋଇଥିବା ସଂଘ ଅଭିଯୋଗ କରିଛି । ବିଡିଓ ଶ୍ରୀ ଘୋଷ୍ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଉଥିବା ବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅଭିଯୋଗକୁ ନିଜେ ଶୁଣିବା ପରେ ସମାଧାନ କରନ୍ତି । ଏପରି ସ୍ଥିତିରେ ତାଙ୍କ ନାଁ ରେ ମିଥ୍ୟା ଆରୋପ ଉଠାଇବା ଯକ୍ତିସଂଗତ ନୁହେଁ ବୋଲି ଜଳେଶ୍ୱର ପଂଚାୟତ ସମିିତିର ସରପଂଚବୃନ୍ଦ ଯୁକ୍ତି ଦର୍ଶାଇବା ସହ ପୂର୍ବରୁ ହୋଇଥିବା ଦୁର୍ନିତିର ସ୍ପେସାଲ ଅଡିଟ୍ କରାଯାଇ ସତ୍ୟାସତ୍ୟ ପ୍ରକାଶ କରିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି । ଜଳେଶ୍ୱର ସରପଂଚ ସଂଘର ସଭାପତି ଅରୁଣ କୁମାର ସେନାପତି, ଉପସଭାପତି ମମତା ପରିଡ଼ାଙ୍କ ସମେତ ବହୁ ସରପଂଚ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।

Posted inଓଡ଼ିଶା
