
କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସେଡିଂବସ୍ତି, ରାଜୀବ ବିହାର ନିକଟରେ ଆଜି ଏକ ଟ୍ରାକ୍ଟର ଡାଲା ଓଲଟିବା ଫଳରେ ଡାଲା ଉପରେ ବସିଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପ୍ରାୟ ୨୫ରୁ ଉର୍ଦ୍ଧ୍ବ କଂକ୍ରିଟ ପିଲର ଲୋଡ OD09-AD-3239 ନମ୍ବର ବିଶିଷ୍ଟ ଉକ୍ତ ଟ୍ରାକ୍ଟର ଅସୁରକ୍ଷିତ ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ତାହାର ଡାଲା ଓଲଟି ପଡିଥିଲା। ଫଳରେ ଡାଲାରେ ବସିଥିବା ରାଜା ହେମ୍ବ୍ରମ ଉପରେ ୧୫ରୁ ଉର୍ଦ୍ଧ୍ବ କଂକ୍ରିଟ ପିଲର ପଡିଯିବାରୁ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ପକ୍ଷରେ ସଞ୍ଜୟ ତିର୍କି ଗୁରୁତର ହୋଇଥିବା ବେଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ବଡବିଲ ମେଡିକାଲରେ ଭର୍ତ୍ତି କରା ଯାଇଛି। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଚାଳକ ଘଟଣା ସ୍ଥଳରୁ ଫେରାର ମାରିଛି। ଏଠାରେ ସୂଚନା ଥାଉ କି ସହରରେ ଅନେକ ଟ୍ରାକ୍ଟର ମାଲିକ ଦକ୍ଷ ଡ଼୍ରାଇଭରଙ୍କୁ ନ ରଖି ଅନୁଭବ ନ ଥିବା ଡ଼୍ରାଇଭରଙ୍କୁ ଟ୍ରାକ୍ଟର ଚଳାଇବା ପାଇଁ ଦେଉଛନ୍ତି। ଏହା ବ୍ୟତୀତ ଏହି ଟ୍ରାକ୍ଟର ଡାଲାରେ ଲୋକଙ୍କୁ ବସାଇ ଦୃତ ଗତିରେ ଯାଆସ କରୁଛନ୍ତି। ପୋଲିସ ଓ ପରିବହନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।