ପୌରପାଳିକାର ବର୍ଜ୍ୟବସ୍ତୁ ଓ ଆବର୍ଜ୍ଜନା ସଂରକ୍ଷଣ କେନ୍ଦ୍ର ପ୍ରକଳ୍ପ ପ୍ରତିଷ୍ଠା ବିରୋଧରେ ତେଜିଲା ସ୍ୱର ; ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି
ସ୍ଥାନୀୟ ବାସିନ୍ଦା ଏବଂ ଡିଗିରହଣିଆ ଶ୍ମଶାନଘାଟ ସୁରକ୍ଷା କମିଟି ପକ୍ଷରୁ ଅନୁଷ୍ଠିତ ହେଲା ପ୍ରତିବାଦ ସଭା
କେନ୍ଦ୍ର ସରକାର ପକ୍ଷରୁ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୨୦୨୪ ମସିହା ଏପ୍ରିଲ ମାସରେ ବାଲେଶ୍ୱର ପୌରାଂଚଳରେ ବଜ୍ର୍ଜ୍ୟବସ୍ତୁ ଓ ଆବର୍ଜ୍ଜନା ସଂରକ୍ଷଣ କେନ୍ଦ୍ର ପ୍ରକଳ୍ପ ଅନୁମୋଦନ ହୋଇଆସିଥିଲା । ଏଥିରେ ପାଖାପାଖି ଦେଢ଼ କୋଟି ଖର୍ଚ୍ଚ ହେବ । ସହର ଭିତରେ ସେତେବଡ ସ୍ଥାନ ନ ଥିବାରୁ ପୌରପାଳିକା ପକ୍ଷରୁ ୩ନଂ ୱାର୍ଡ଼ ସୁନହଟର ଡିଗିରହଣିଆ ଶ୍ମଶାନଘାଟ ଜମିରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ମାତ୍ର ଏବେ ଏହି ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ପୌରପାଳିକାକୁ ତୀବ୍ର ବିରୋଧ ସାମନା କରିବାକୁ ପଡୁଛି । କାରଣ ଏଠିକାର ଶ୍ମଶାନଘାଟ ଜମିରେ ବଜ୍ର୍ଜ୍ୟବସ୍ତୁ ଓ ଆବର୍ଜ୍ଜନା ସଂରକ୍ଷଣ କେନ୍ଦ୍ର ପ୍ରକଳ୍ପକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏଠାରେ ଥିବା ଶ୍ମଶାନଟି ଉପରେ ପାଖାପାଖି ଚାରିଟି ୱାର୍ଡ଼ବାସୀ ଶବସକ୍ରାର ପାଇଁ ନିର୍ଭର କରନ୍ତି । ଖାଲି ଏତିକି ନୁହେଁ ଆଖପାଖ ପଂଚାୟତ ଲୋକେ ମଧ୍ୟ ଶବସକ୍ରାର ପାଇଁ ଏହି ଶ୍ମଶାନକୁ ଆସିଥାଆନ୍ତି । ଶ୍ମଶାନ ଠାରୁ ଅଳ୍ପଦୂରରେ ଜନବସତି ରହିଛି । ତେଣୁ ପୌରପାଳିକାର ପ୍ରସ୍ତାବିତ ବଜ୍ର୍ଜ୍ୟବସ୍ତୁ ଓ ଆବର୍ଜ୍ଜନା ସଂରକ୍ଷଣ କେନ୍ଦ୍ର କାର୍ଯ୍ୟକାରୀ ହେଲେ ସମଗ୍ର ଅଂଚଳରେ ଦୁର୍ଗନ୍ଧ ବ୍ୟାପିବା ସହ ପରିବେଶ ପ୍ରଦୁଷଣ ହେବ ଏବଂ ବିଭିନ୍ନ ପ୍ରକାର ରୋଗ ସଂକ୍ରମଣ ହେବାର ଆଶଙ୍କା ରହିଛି । ଏନେଇ ସୋମବାର ସକାଳେ ଶ୍ମଶାନ ଜମିରେ ସ୍ଥାନୀୟ ବାସିନ୍ଦା ଏବଂ ଡିଗିରହଣିଆ ଶ୍ମଶାନଘାଟ ସୁରକ୍ଷା କମିଟି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଲୋକେ ସରକାରୀ ପ୍ରକଳ୍ପକୁ ସ୍ୱାଗତ କରୁଥିବା ବେଳେ ଏହାକୁ ଅନ୍ୟତ୍ର କରିବା ପାଇଁ ଅଡ଼ି ବସିଛନ୍ତି । ଅନ୍ୟପଟେ ଚାରିଟି ୱାର୍ଡ଼ବାସୀଙ୍କ ମତାମତ ସଂଗ୍ରହ ନ କରି ପୌରପାଳିକା ଏକଚାଟିଆ ଭାବେ ବଜ୍ର୍ଜ୍ୟବସ୍ତୁ ଓ ଆବର୍ଜ୍ଜନା ସଂରକ୍ଷଣ କେନ୍ଦ୍ର ପ୍ରକଳ୍ପ ପ୍ରତିଷ୍ଠା କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ଏହାସହ ଶ୍ମଶାନ ଜମିରେ ଥିବା ସମାଧି ଗୁଡ଼ିକ ଭାଂଗିଦେବା ସହ ଗଛକାଟି ଦେବା ନ୍ୟାୟ ସଂଗତ ନୁହେଁ ଏବଂ ସରକାରୀ ପ୍ରକଳ୍ପକୁ ଏଠାରେ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି । ତେଣୁ ୱାର୍ଡ଼ବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କମିଟିର କର୍ମକର୍ତା ସହ ସ୍ଥାନୀୟବାସିନ୍ଦା ମାନେ ପୌରପାଳିକା ନିକଟରେ ଦାବି କରିଛନ୍ତି । ସେପଟରେ ପୌର ଅଧ୍ୟକ୍ଷା କହିଛନ୍ତି ଏହା ହେଉଛି କେନ୍ଦ୍ର ସରକାରଙ୍କର ପ୍ରକଳ୍ପ ଓ ଏଥି ପାଇଁ ସରକାରୀ ଅନୁଦାନ ମଧ୍ୟ ଆସି ସାରିଛି । ଏହି ପ୍ରକଳ୍ପ ଦ୍ୱାରା ଜନଜୀବନ କୌଣସି ପ୍ରକାର ପ୍ରଭାବିତ ହେବ ନାହିଁ ବୋଲି ଅଧ୍ୟକ୍ଷା କହିଛନ୍ତି I
