
ଗତକାଲି ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ବ୍ଲକର ପୁଟୁରିଖମନ ଗ୍ରାମ ପଞ୍ଚାୟତର ଶାଗାବେଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଶୋଇଥିବା ଅବସ୍ଥାରେ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା କରିଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ମୁତାବକ ଉକ୍ତ ଗ୍ରାମର କ୍ରିଷ୍ଣା ଲାଖୁଆ( ୩୭) ନିଜ ଘର ବାହାରେ ଏକ ଖଟିଆ ପକାଇ ନିଦରେ ଶୋଇଥିଲେ। ସେହି ସମୟରେ ଉକ୍ତ ଗ୍ରାମର ଟିକି ଲାଖୁଆ (୨୫) ଏକ ଟାଙ୍ଗିଆରେ କ୍ରିଷ୍ଣାଙ୍କୁ ହାଣି ହତ୍ୟା କରିଥିଲେ। ଶବ୍ଦ ଶୁଣି ଘରେ ଥିବା କ୍ରିଷ୍ଣାଙ୍କ ସ୍ତ୍ରୀ ଜାନକି ଦୌଡ଼ି ଆସି ଦେଖିଥିଲେ ତାଙ୍କ ସ୍ବାମୀଙ୍କୁ ଟିକି ଟାଙ୍ଗିଆରେ ଆକ୍ରମଣ କରୁଛନ୍ତି। ଏହା ଦେଖି ସେ ସହାୟତା ପାଇଁ ଚିତ୍କାର କରିଥିଲେ । ଜାନକିଙ୍କ ଚିତ୍କାରରେ ଗ୍ରାମବାସୀ ଆସିବା ପରେ ଟିକି ସେଠାରୁ ପଲାଇ ଥିଲେ। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କ୍ରିଷ୍ଣାଙ୍କୁ କୁଆଁରମୁଣ୍ଡା ସରକାରୀ ଡାକ୍ତରଖାନାକୁ ନିଆଯାଇ ଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ବର୍ଗ ଓ ଗ୍ରାମବାସୀ ବୀରମିତ୍ରପୁର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଟିକୀଙ୍କୁ ଓ ତାଙ୍କ ବାପା ନିରପତିଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଥିବା ବେଳେ ଉକ୍ତ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

