ମୋବାଇଲ ନେଟୱର୍କ କହିଲେ କେବଳ ଗୋଟିଏ ମାତ୍ର ବିଏସଏନଏଲ ଟାୱାର ଏହି ସିର୍ଲା ଗାଁ ରେ ରହିଥିବା ବେଳେ ଅନ୍ୟ କୌଣସି ନେଟୱର୍କ ର ବିକଳ୍ପ ବ୍ୟବସ୍ଥା ମଧ୍ୟ ନାହିଁ l
ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକର ଉପାନ୍ତ ସିର୍ଲା ପଂଚାୟତର ସିର୍ଲା ସମେତ ମୋଟ ପାଞ୍ଚଟି ୱାର୍ଡରେ ମୋବାଇଲ ନେଟୱର୍କ ସମସ୍ୟା ଲାଗିରହିଛି l ବର୍ଷ ବର୍ଷ ଧରି ଏହି ସିର୍ଲା ଗାଁରେ ନେଟୱର୍କ ଜନିତ ସମସ୍ୟା ଭଳି ଦୁର୍ଦଶା ଭୋଗୁଛନ୍ତି ଏଠାକାର ଗ୍ରାମବାସୀ l ମୋବାଇଲ ନେଟୱର୍କ କହିଲେ କେବଳ ଗୋଟିଏ ମାତ୍ର ବିଏସଏନଏଲ ଟାୱାର ଏହି ସିର୍ଲା ଗାଁରେ ରହିଥିବା ବେଳେ ଅନ୍ୟ କୌଣସି ନେଟୱର୍କର ବିକଳ୍ପ ବ୍ୟବସ୍ଥା ମଧ୍ୟ ନାହିଁ l ଏହି ସିର୍ଲା ଗାଁରେ ପାଞ୍ଚ ବର୍ଷରୁ ଉର୍ଦ୍ଧ ହେବ ମୋବାଇଲ ଯୋଗାଯୋଗ ନିମନ୍ତେ ପଂଚାୟତ କାର୍ଯ୍ୟାଳୟ ନିକଟରେ ଏକ ଟାୱାର ସ୍ଥାପନ କରାଯାଇଥିଲା l ଯୋଗାଯୋଗ କ୍ଷେତ୍ରରେ ସମସ୍ତ ସେବା ଉପଲବ୍ଧି ହେବ ଭାବି ବେଶ ଉତ୍ସାହିତ ଥିଲେ ସିର୍ଲା ଗ୍ରାମବାସୀ କିନ୍ତୁ ଗାଁ ଲୋକଙ୍କ ଆଶା ଶେଷରେ ମଉଳି ଗଲା l କାରଣ ମୋବାଇଲ ଟାୱାର ସ୍ଥାପନ ହେଲା କିନ୍ତୁ ସମାନ ଦୁର୍ଦଶା ପୂର୍ବ ପରି ଭୋଗିବାକୁ ଶେଷରେ ପଡିଲା ଗ୍ରାମବାସୀଙ୍କୁ l କାରଣ ଏଠି ଟାୱାର ଅଛି ସତ କିନ୍ତୁ ନେଟୱର୍କ ନାହିଁ l ତେଣୁ ମୋବାଇଲ ସେବା ପାଇବା ଏବେ ବି ସିର୍ଲା ଗ୍ରାମବାସୀଙ୍କ ପାଇଁ ସାତ ସପନ ହୋଇଛି l ଯାହା ଫଳରେ ଏହି ଉପାନ୍ତ ସିର୍ଲା ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଠାକାର ଅଧିବାସୀ l ଗାଁରେ ନେଟୱର୍କ ନଥିବାରୁ ଗାଁର ଛାତ୍ର ଛାତ୍ରୀ ଅନଲାଇନ କ୍ଲାସ ଠାରୁ ଆରମ୍ଭ କରି ପ୍ରତି କ୍ଷେତ୍ର ରେ ଶିକ୍ଷାରୁ ବଂଚିତ ହେଉଛନ୍ତି l ଶେଷରେ ପାହାଡ଼, ଜଙ୍ଗଲରେ ମୋବାଇଲ ନେଟୱର୍କ ପାଇବା ପାଇଁ ଘୁରି ବୁଲୁଛନ୍ତି ଛାତ୍ର ଛାତ୍ରୀ l ନେଟୱର୍କ ସିଗନାଲ ଖୋଜି ଖୋଜି ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ l ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ମେଡିକାଲ ଯିବା ପାଇଁ ହେଲେ ମୋବାଇଲ ନେଟୱର୍କ ନଥିବାରୁ ଆମ୍ବୁଲାନ୍ସ ସେବାରୁ ବାଦ ପଡ଼ୁଛନ୍ତି ଏହି ଗ୍ରାମବାସୀ l ମୋବାଇଲ ଯୋଗାଯୋଗ ନିମନ୍ତେ ଗାଁ ଠାରୁ 7-9 କିଲୋମିଟର ଯିବାକୁ ପଡୁଛି l ନତୁବା ତୁମୁଡିବନ୍ଧ ହେଡ଼ କ୍ଵାଟରକୁ 12 କିଲୋମିଟର ଗଲା ପରେ ହିଁ ନେଟୱର୍କ ସୁବିଧା ପାଉଛନ୍ତି ଗ୍ରାମବାସୀ l ମୋବାଇଲ ନେଟୱର୍କ ନିମନ୍ତେ ଗାଁ ଠାରୁ ଦୁରକୁ ଯିବାକୁ ପଡୁଥିବା ରୁ ପ୍ରତିଟି କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଯାହା ଫଳରେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେବାକୁ ନିତିଦିନିଆ ସଂଘର୍ଷ କରିବାକୁ ପଡୁଥିବା ମଧ୍ୟ କହିଛନ୍ତି ସିର୍ଲା ଗ୍ରାମବାସୀ l ଏଥିସହ ରାସନ କାର୍ଡ ଧାରୀ କାର୍ଡ ଅପଡେଟ ପାଇଁ ତୁମୁଡିବନ୍ଧ ଯିବାକୁ ପଡୁଥିବା କାରଣରୁ ଅଯଥା ଖର୍ଚ୍ଚାନ୍ତ ହେଉଥିବା କହିଛନ୍ତି l ତେବେ ଅଚଳ ହୋଇ ପଡ଼ିଥିବା ଏହି ବିଏସଏନଏଲ ନେଟୱର୍କ ଯୋଗୁଁ ସିର୍ଲା ସମେତ ମୋଟ ପାଞ୍ଚଟି ୱାର୍ଡର 1300ରୁ ଉର୍ଦ୍ଧ ଗ୍ରାମବାସୀ ସମସ୍ୟା ଭୋଗୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା l ତେଣୁ ସରକାର ଓ ପ୍ରଶାସନ ଏହି ନେଟୱର୍କ ସମସ୍ୟାର ସମାଧାନ କରିବା ସହ ସ୍ଥାୟୀ ବ୍ୟବସ୍ଥା ଗ୍ରହଣ ନ କରିଲେ ଖୁବ ଶୀଘ୍ର ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି ସିର୍ଲା ଗ୍ରାମବାସୀ l
