ଘରେ ରୋଷେଇ ଚାଲିଥିବା ସମୟରେ ଗ୍ୟାସ ସିଲିଣ୍ଡର ଫାଟି ଛିନଛତର ହୋଇପଡ଼ିଛି ଘର | ଜଳି ପୋଡ଼ି ପାଉଁଶ ହୋଇଯାଇଛି ଘରର ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର | ଏହି ଭୟଙ୍କର ଆଗ୍ନିକାଣ୍ଡରୁ କିନ୍ତୁ ଅଳ୍ପକେ ଜୀବନ ବଞ୍ଚାଇ ବାହାରକୁ ବାହାରି ଆସିଛନ୍ତି ପରିବାର ଲୋକେ | ଗତକାଲି ବାଲେଶ୍ୱର ସହରର ମାକଲପୁର ଅଞ୍ଚଳରେ ଘଟିଯାଇଛି ଏହିପରି ଭୟଙ୍କର ଅଗ୍ନିକାଣ୍ଡ | ମିଳିଥିବା ସୂଚନା ଅନୁଯାୟୀ, ନାଥପାଣି ଛକ ନିକଟ ହରିଶ୍ଚନ୍ଦ୍ର ସାହୁଙ୍କ ଘରେ ତାଙ୍କ ଝିଅ ରୋଷେଇ କରୁଥିବା ବେଳେ ୫ କିଲୋ ଓଜନର ଗ୍ୟାସ ସିଲିଣ୍ଡରଟି ବ୍ଲାଷ୍ଟ ହେବାରୁ ଘରେ ନିଆଁ ଲାଗିଯାଇଥିଲା । ଏ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦିଆଯିବାରୁ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ | ତେବେ ନିଆଁ ଆୟତ୍ତ ହେବା ପରେ ଘରର ଅବସ୍ଥା ଯେପରି ହୋଇପଡିଛି ତାହାକୁ ଦେଖିଲେ ଜଣାପଡ଼ୁଛି ଯେ କେତେ ଭୟଙ୍କର ହୋଇଥିଲା ସେହି ବିସ୍ଫୋରଣ | ସେପଟେ ଘର ଭିତରୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଫାଟି ଯାଇଥିବା ସିଲିଣ୍ଡର ସହ ଅନ୍ୟ ଏକ ଗ୍ୟାସ ସିଲିଣ୍ଡରକୁ ମଧ୍ୟ ଉଦ୍ଧାର କରିଛନ୍ତି । ତେବେ ଏହି ଅଗ୍ନିକାଣ୍ଡ ଯୋଗୁଁ ସାରା ଅଞ୍ଚଳରେ କିଛି ସମୟ ପାଇଁ ଭୟର ବାତାବରଣ ଖେଳିଯାଇଥିଲା |


