
ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପୋଲିସ ଟ୍ରେନିଂ କଲେଜ (ପିଟିସି) ସମ୍ମୁଖରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ଆଠମଲ୍ଲିକ ଅଞ୍ଚଳର ପ୍ରଦୀପ ବେହେରା ନାମକ ଜଣେ ଯୁବକ ନିଜ ବାଇକରେ ଅନୁଗୋଳରୁ ନାଲକୋ ଅଞ୍ଚଳକୁ ଯାଉଥିଲେ। ସେହି ସମୟରେ, ତାଳଚେର ବ୍ଲକର ସାଉଥବଲଣ୍ଡା ଅଞ୍ଚଳର ରାକେଶ କୁମାର ବେହେରା ଓ ସୁମିତ ସାହୁ ଅନ୍ୟ ଏକ ବାଇକରେ ବିପରୀତ ଦିଗରୁ ଆସୁଥିଲେ। ପିଟିସି ସମ୍ମୁଖରେ ଉଭୟ ବାଇକ ଦ୍ରୁତ ଗତିରେ ଆସି ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ତିନିଜଣ ଯୁବକ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ ଏବଂ ଗୁରୁତର ଆହତ ହୋଇଥିଲେ। ସେହି ସମୟରେ ରାସ୍ତା ଦେଇ ଯାଉଥିବା ଅନୁଗୋଳର ଆପାତକାଳୀନ ଅଧିକାରୀ ଶୁଭେନ୍ଦୁ ଜେନା ତୁରନ୍ତ ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ, ଚିକିତ୍ସାଧୀନ ଅବସ୍ଥାରେ ପ୍ରଦୀପ ବେହେରାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଆହତ ରାକେଶ ଓ ସୁମିତଙ୍କ ଚିକିତ୍ସା ଜାରି ରହିଛି ଏବଂ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ରାସ୍ତାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା |
