ଘରେ ରଙ୍ଗ କାମ ଚାଲିଥିବା ବେଳେ କାନ୍ଥରେ ହଠାତ ବିଦ୍ୟୁତ ପ୍ରବାହ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ତିନି ଜଣ ଆହତ ହୋଇଛନ୍ତି ।
ଜାରି ରହିଛି ଆହତଙ୍କ ଚିକିତ୍ସା
ଗତକାଲି ରାୟଗଡ଼ା ସହର ରୟତକଲୋନି ୧୦ନଂ. ଲେନ୍ରେ ବିଦ୍ୟୁତ୍ ଆଘାତରେ ଜଣଙ୍କରମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ମୃତକହେଲେ ରାୟଗଡ଼ା ସହରର ଆମ୍ବଗୁଡ଼ାର ଦୁଃଶାସନ ଖରା(୩୫) । ଆହତ ୩ ଜଣହେଲେ ବିନୋଦ ନାଗ (୩୫),ଲକ୍ଷ୍ମଣ କନ୍ଧପାଣି(୩୩) ଓ ଦାମୋଦରଗାଣ୍ଟା(୨୬) ।ଡାକ୍ତର ଆହତ ଲକ୍ଷ୍ମଣଙ୍କ ଚିକିତ୍ସା କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ,ରୟତ କଲୋନି ୧୦ ନଂ. ଲେନ୍ରେ ଘର ନିର୍ମାଣ ଚାଲିଛି। ଘରର ରଙ୍ଗ କରିବା ପାଇଁ ଉକ୍ତ ୪ ଯୁବକ ବାଉଁଶ ପରଞ୍ଜା ବାନ୍ଧି କାନ୍ଥରେ ଚୂନ ଓ ରଙ୍ଗ ଦେଉଥିଲେ। ତେବେ ସେହି ସମୟରେ ହଠାତ୍ କାନ୍ଥରେ ବିଦ୍ୟୁତ୍ ପ୍ରବାହ ହେବାରୁ ୩ ଜଣଙ୍କୁ ଜୋରରେ ଝଟକା ଲାଗିଥିଲା। ଫଳରେ ଘଟଣାସ୍ଥଳରେ ଦୁଃଶାସନଙ୍କ ମୃତ୍ୟୁ ହୋଇଛି ଏବଂ ଗୁରୁତର ଅବସ୍ଥାରେ ବିନୋଦଓ ଲକ୍ଷ୍ମଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣେ ଦାମୋଦର ସାମାନ୍ୟ ଆହତ ହୋଇଛନ୍ତି।

ଦୁଃଶାସନଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପରିବାର ଭରଣ ପୋଷଣ କିଭଳି ହେବ ସେ ନେଇ ଚିନ୍ତାରେ ପରିବାରବର୍ଗ ।ସେପଟେ ରାୟଗଡ଼ା ଟାଉନ ଥାନାରେ ଏ ନେଇ କେସ୍ ନଂ ୩୨୦ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି ।

