
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ‘ବାଲେଶ୍ୱର ରାବଣ ପୋଡ଼ି କମିଟି’ ପକ୍ଷରୁ ମହାନବମୀ ସନ୍ଧ୍ୟାରେ ହର୍ଷ ଉଲ୍ଲାସର ସହ ୨୬ତମ ବିରାଟ ରାବଣପୋଡ଼ି ସମାରୋହ ପାଳନ କରାଯାଇଛି । ଏହି ଅବସରରେ ସହରର ଆଇଟିଆଇ ପଡ଼ିଆରେ ବୁଧବାର ସଂନ୍ଧ୍ୟାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅତିଥିଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ଚଳିତ ବର୍ଷ ରାବଣ ପୋଡ଼ି । ସେଠାରେ ଆୟୋଜିତ ସଭାରେ ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ୍ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦୂର୍ଗା ପୂଜା ସମୟରେ ବାଲେଶ୍ୱରର ଅନନ୍ୟ ସଂସ୍କୃତି ଓ ପରମ୍ପରାକୁ ଉଦ୍ଜୀବିତ କରିବା ପାଇଁ ୨୬ ବର୍ଷ ଧରି ‘ରାବଣ ପୋଡ଼ି କମିଟି’ର ନିରନ୍ତର ପ୍ରୟାସକୁ ସ୍ୱାଗତ କରିଥିଲେ । ସଦର ବିଧାୟକ ମାନସ କୁମାର ଦତ୍ତ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ଜିଲ୍ଲାପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ପୂର୍ବାଂଚଳ ଡିଆଇଜି ପିନାକ୍ ମିଶ୍ର, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏସ.ପି.ପ୍ରତ୍ୟୁଷ ଦିବାକର, ଉପଜିଲ୍ଲାପାଳ ଶିବ ମାଲବୀୟ ଏବଂ ବାଲେଶ୍ୱର ପୌରଅଧ୍ୟକ୍ଷା ସବିତା ସାହୁ, ବରିଷ୍ଠ ଆଇନଜୀବି ହରେକୃଷ୍ଣ ଦାଶ, ସମ୍ପାଦକ ରାମନାରାୟଣ ଶତପଥି, ଯୁଗ୍ମ ସମ୍ପାଦକ ସିମନ୍ ଦାସ ମହାପାତ୍ର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇ ଜିଲ୍ଲାବାସୀଙ୍କୁ ଶାରଦୀୟ ଦୂର୍ଗା ପୂଜାର ଶୁଭେଛା ପ୍ରଦାନ ସହ ଅସତ୍ୟ ଉପରେ ସତ୍ୟ ଓ ଅଧର୍ମ ଉପରେ ଧର୍ମର ବିଜୟ ବୋଲି କହିଥିଲେ ।
ଶେଷରେ ଅତିଥି ମାନେ ରାବଣରେ ଅଗ୍ନି ସଂଯୋଗ କରିଥିଲେ । ହଜାର ହଜାର ଦର୍ଶକ ଆଇଟିଆଇ ପଡ଼ିଆରେ ଉପସ୍ଥିତ ରହି ରାବଣ ପୋଡ଼ିକୁ ଉପଭୋଗ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଅଗ୍ନିନିର୍ବାପକ ବ୍ୟବସ୍ଥା କରାଯାଇଥିଲା ।
