ବାଲିଘାଟରେ ଭାସିଲା ହଜାର ହଜାର ଡଙ୍ଗା || BALASORE NEWS

ବାଲିଘାଟରେ ଭାସିଲା ହଜାର ହଜାର ଡଙ୍ଗା || BALASORE NEWS

Share with people

ବାଲେଶ୍ୱର ସହର ଠାରୁ ଜିଲ୍ଲାର ଗାଁ ଗହଳିରେ ଲୋକମାନେ ଶ୍ରଦ୍ଧାର ସହ ପାଳନ କରିଛନ୍ତି ପବିତ୍ର କାର୍ତିକ ପୂର୍ଣ୍ଣିମା । ଏହି ଉପଲକ୍ଷେ ସହରର ବାରବାଟୀ ବାଲିଘାଟ ଏବଂ ଆଖପାଖ ଅଂଚଳ ଲୋକାରଣ୍ୟ ହୋଇ ଉଠିଥିଲା । ଉକ୍ରଳୀୟ ନୌବାଣିଜ୍ୟର ପରମ୍ପରାକୁ ମନେ ପକାଇ କାର୍ତିକ ପୂର୍ଣ୍ଣିମା ସକାଳୁ ସକାଳୁ ବାଲେଶ୍ୱର ସହର ଏବଂ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ଲୋକ ନଦୀରେ ବୁଡ଼ ପକାଇଥିଲେ । ପରେ ସୋଲୋ ଡଙ୍ଗାରେ ଧୁପ, ଦୀପ ଏବଂ ଫଳ ରଖି ପୂଜା କରିବା ପରେ ଆ-କା-ମା- ବୈ, ପାନଗୁଆ ଥୋଇ, ମାସକ ଧରମ ମୋର, ପାନ ଗୁଆ ତକ ତୋର ବୋଲି କହି ତାହାକୁ ନଦୀରେ ଭସାଇ ଦେଇଥିଲେ । ଅତୀତରେ ସାଧବଘରର ପୁଅଙ୍କ ବୀରତ୍ୱର ଗାଥା ଓ ନୌବାଣିଜ୍ୟ ପାଇଁ ସେମାନଙ୍କ ଜାଭା, ସୁମାତ୍ରା ଓ ବୋର୍ଣ୍ଣିଓ ଯାତ୍ରାର ଗାରିମାମୟ ଐତିହ୍ୟ ଓ ପରମ୍ପରାକୁ ମନେ ପକାଇ ଜିଲ୍ଲାବାସୀ ବୋଇତ ବନ୍ଦାଣ ପର୍ବ ପାଳିଥିଲେ । ସେହିପରି ବାଲିଘାଟ ବ୍ୟତୀତ ବିଭିନ୍ନ ପୁଷ୍କରିଣୀ ଏବଂ ସମୁଦ୍ରରେ ମଧ୍ୟ ଲୋକେ ବୁଡ଼ ପକାଇବା ସହ ଡଙ୍ଗା ଭସାଇ ସୂର୍ଯ୍ୟଙ୍କୁ ଦର୍ଶନ ସହ ମନୋବାଂଛା ପୂରଣ ପାଇଁ ପ୍ରାର୍ଥନା ମଧ୍ୟ କରିଥିଲେ । ପୂର୍ବ ପରମ୍ପରାକୁ ଉଦ୍ଜିବିତ କରିବା ସକାଶେ ବାହାରେ ଥିଲେ ବି ପରିବାର ସଦସ୍ୟଙ୍କ ମେଳରେ କାର୍ତିକ ପୂର୍ଣ୍ଣିମା ପାଳିବା ଲାଗି ବର୍ଷରେ ଗୋଟିଏ ଦିନ ପାଇଁ ଲୋକେ ବାଲେଶ୍ୱରରେ ପହଂଚି ଥାଆନ୍ତି । ଓଡ଼ିଆ ଘରର ପରମ୍ପରାରେ କାର୍ତିକ ପୂର୍ଣ୍ଣିମାର ସ୍ୱତନ୍ତ୍ର ସ୍ଥାନ ବହନ କରିଆସିଛି । ସବୁଠାରୁ ବଡ଼ କଥା ହେଲା ଐତିହାସିକ ଗୌରବ ମଣ୍ଡନ କରୁଥିବା ବାଲେଶ୍ୱର ସହରର ସେତେବେଳର ନୌବାଣିଜ୍ୟର ସ୍ମୃତି ଚିହ୍ନ ଲିଭିଯିବାକୁ ବସିଛି । ବନ୍ଦର ମାନଙ୍କର ପରିଚୟ ହଜିଯାଇଥିବା ବେଳେ ସେ ଗୁଡ଼ିକର ସ୍ମୃତି ଜନମାନସରେ କେବଳ କର୍ପୁର କନା ଭଳି ପଡ଼ି ରହିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *