ଡଙ୍ଗା ବୁଡ଼ି ସମୁଦ୍ର ଭିତରେ ଗଲା ଜଣଙ୍କ ଜୀବନ ; 20ଜଣ ହେଲେ ଉଦ୍ଧାର
ମଝି ସମୁଦ୍ରରେ ବୁଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା, ଜଣେ ମୃତ
ବଡ଼ ଦିନରେ ଘଟିଲା ବଡ଼ ଅଘଟଣ । ମଝି ସମୁଦ୍ରରେ ଯାତ୍ରୀବାହୀ ଡ଼ଙ୍ଗା ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗୋଆର କଲଙ୍ଗଟ ସମୁଦ୍ର କୂଳରେ ଏହି ଦୁର୍ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ ଏଠାରେ ବୁଧବାର ଖ୍ରୀଷ୍ଟମାସ ଉତ୍ସବ ପାଳନ ଚାଲିଥିବା ବେଳେ ଆରବ ସାଗରରେ ଏକ ଯାତ୍ରୀବାହୀ ଡ଼ଙ୍ଗା ବୁଡ଼ି ଯାଇଥିଲା। ମଧ୍ୟାହ୍ନ ୨ଟା ସମୟରେ ଦୁର୍ଘଟଣା ଘଟିଥିଲା। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ ଏହି ଦୁର୍ଘଟଣାରେ ଜଣେ ୫୪ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ତେବେ ଯାହା ଜଣାପଡ଼ିଛି ,ଦୁଇ ଜଣ ଯାତ୍ରୀଙ୍କୁ ଛାଡି ଅନ୍ୟ କେହି ବି ଯାତ୍ରୀ ଲାଇଫ ଜ୍ୟାକେଟ୍ ପିନ୍ଧି ନଥିଲେ। ଏହି ଡଙ୍ଗାରେ ଥିବା ଯାତ୍ରୀଙ୍କ ମଧ୍ୟରେ ଛଅ ବର୍ଷର ଶିଶୁ ଓ ମହିଳା ମଧ୍ୟ ସାମିଲ ଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି |
