ANGUL: ୫ମ ଶ୍ରେଣୀରେ ପଢ଼ୁଥିବା ୧୦ ବର୍ଷର ନାବାଳିକା ନିଖୋଜ ପରେ ନାଳ ଭିତରୁ ମିଳିଲା ମୃତଦେହ । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ପୁଲିସ କହିଲା ୧୦ ଦିନ ଭିତରେ ଅପରାଧୀଙ୍କୁ ଧରିବୁ। ହେଲେ ବିତି ଗଲାଣି ୧୨ ଦିନ । ଆଜି ଯାଏ ପୁଲିସ ହାତ ଖାଲି । ଏହାକୁ ନେଇ ପ୍ରତିବାଦ କରିଛନ୍ତି ଶତାଧିକ ମହିଳା ।
ଝିଅକୁ ନ୍ୟାୟ ଦେବା ପାଇଁ ୧୦ କିମି ଚାଲିଚାଲି ଆସି ଏସ୍.ପି. ଅଫିସ ଘେରିଲେ ଶତାଧିକ ମହିଳା
ଅନୁଗୁଳ ସଦର ଥାନା ଶ୍ୟାମସୁନ୍ଦରପୁର ଗାଁରେ ଗତ ୭ ତାରିଖରେ ଗାଁ ମୁଣ୍ଡ ନାଳରୁ ଜଣେ ୧୦ ବର୍ଷର ନାବାଳିକାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଥିଲା । ପୂର୍ବ ଦିନରୁ ନାବାଳିକା ଜଣଙ୍କ ନିଖୋଜ ଥିବା ବେଳେ ସକାଲେ ମୃତଦେହ ଉଦ୍ଧାର ପରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକ । ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ନେଇ ତଦନ୍ତ କରିଥିଲା । ଖୋଦ ଏସ..ପି. ରାହୁଲ ଜୈନ ଘଟଣା ସ୍ଥଳକୁ ଯାଇ ତଦାରଖ କରିବା ସହ ଅଭିଯୁକ୍ତକୁ ୧୦ ଦିନ ଭିତରେ ଧରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଏହା ଭିତରେ ୧୨ ଦିନ ବିତି ଗାଲାଣି । ପୁଲିସ ହାତ ଏବେ ବି ଖାଲି । ଯେଉଁଥିପାଇଁ ଆନ୍ଦୋଳନକୁ ଓଲ୍ହାଇଥିଲେ ଗ୍ରାମର ମହିଳା । ଶତାଧିକ ମହିଳା ଆଜି ଗାଁରୁ ପ୍ରାୟ ୧୦ କିମି ଚାଲିଚାଲି ଆସି ଅନୁଗୁଳ ସହର ପରିକ୍ରମା କରିବା ପରେ ଏସ.ପି. ଅଫିସ ଘେରାଉ କରିଥିଲେ । ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଥିଲେ ସେମାନେ । ଅଭିଯୁକ୍ତକୁ ଗିରଫ କରିବା ସହ ନାବାଳିକାଙ୍କୁ ନ୍ୟାୟ ଦାବି କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଆନ୍ଦୋଳନକାରୀ ।

ନାବାଳିକାଙ୍କୁ ନ୍ୟାୟ ଦାବି କରି ଶତାଧିକ ମହିଳା ଆଜି ଗାଁରୁ ବାହାରିଥିଲେ । ତେବେ ଗାଁରୁ ଆସିବା ପାଇଁ ସେମାନେ କିଛି ବସ ଠିକ କରିଥିଲେ । କିନ୍ତୁ ପ୍ରଶାସନ ବଳ ଲଗାଇ ବସ ଗୁଡିକୁ ହଟାଇ ଦେଇଥିଲା । ଯାହା ଫଳରେ ପ୍ରଚଣ୍ଡ ଖରାରେ ମହିଳା ମାନେ ପ୍ରାୟ ୧୦ କିମି ଚାଲି ଚାଲି ଆସିବାକୁ ପଡିଥିଲା ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ନିଜ ଗାଁର ନାବାଳିକାକୁ ନ୍ୟାୟ ଦାବିରେ ବାହାରୁଥିବା ଆନ୍ଦୋଳନକାରୀ ମହିଳାଙ୍କୁ ହଇରାଣ କାହା ଚାପରେ କରାଯାଉଛି ବୋଲି ଆନ୍ଦୋଳନକାରୀମାନେ ପ୍ରଶ୍ନ କରିଛନ୍ତି । ଆଉ କାହା ସ୍ୱାର୍ଥରେ ଦୋଷୀକୁ ଘଣ୍ଟ ଘୋଡା ଯାଉଛି ବୋଲି ପ୍ରଶ୍ନ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଅନ୍ୟପଟେ ଅନୁଗୁଳ ଏସ ପି ରାହୁଲ ଜୈନ କହିଛନ୍ତି ଯେ ଘଟଣାରେ ଦୁଇଟି ଟିମ କରି ତଦନ୍ତ କରାଯାଉଛି । ସାଇଣ୍ଟିଫିକ ଟିମ ଓ ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଖୁବଶୀଘ୍ର ଘଟଣା ଉପରୁ ପରଦା ହଟାଯିବ ।

