ବାଇକ ଆରୋହୀଙ୍କ ଉପରେ ଟ୍ରକ୍ ମାଡ଼ିଯିବାରୁ ଦୁର୍ଘଟଣାରେ ୩ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ଦଲଦଲି ଗାଁ ନିକଟରେ । ମିଳିଥିବା ସୂଚନା ଅନୁଯାୟୀ, ମୃତକମାନେ ଦୁଇ ଭାଇ ହେତରାମ ଶବର, ଶ୍ୟାମ ଶବର ଓ ସଂପର୍କୀୟ କକାଗୁଡୁ ଧରୁଆ।। ସେମାନଙ୍କ ଘର ହେଲେ କର୍ଲାପଡ଼ା ଗାଁର ହୋଇଥିବା ଜଣାଯାଇଛି। ତେବେ ଗତକାଲି ରାତି ପ୍ରାୟ ୯ଟା ବେଳେ ଏକ ବାଇକ୍ ଯୋଗେ ତିନି ଜଣ ନୂଆପଡାରୁ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ୩୫୩ ନମ୍ବର ଜାତୀୟ ରାଜପଥ ର ଦଲଦଲି ଗାଁ ନିକଟରେ ଏକ ଟ୍ରକ୍ ବାଇକ୍କୁ ଧକ୍କା ଦେଇଥିଲା। ୩ଜଣ ତଳେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି ।
