
ବାଇକ ଚୋରି କରୁଥିଲେ ଆଉ ତାକୁ ନେଇ ମାଷ୍ଟରମାଇଣ୍ଡକୁ ଦେଉଥିଲେ। ପ୍ରତି ବଦଳରେ ବାଇକ ପିଛା ମିଳୁଥିଲା ୧୦ ହଜାର। ସେହି ବାଇକ ସବୁ ବାହାର ରାଜ୍ୟକୁ ହେଉଥିଲା ଚାଲାଣ। ୨ ଆନ୍ତଃ ରାଜ୍ୟ ଲୁଟେରା ଗିରଫ ହେବା ପରେ ଖୋଲିଛି ଗାଡି ଲୁଟର ପେଡି। ଖୁଣ୍ଟା ପୋଲିସ ଏକ ବାଇକ ଚୋରି ଅଭିଯୋଗର ତଦନ୍ତ ଆରମ୍ଭ କରିବା ପରେ ୨ ଆନ୍ତଃରାଜ୍ୟ ଲୁଟେରାଙ୍କୁ ବଡ଼ସାହି ଅଞ୍ଚଳରୁ ଗିରଫ କରିଛି। ଗିରଫ ଦୁଇ ଲୁଟେରାଙ୍କ ନିକଟରୁ ୪ ଟି ଚୋରା ବାଇକ ଜବତ କରିଛି। ଗିରଫ ଲୁଟେରାମାନେ ବଡ଼ସାହି ଥାନା ଶାଳପଥରା ଗ୍ରାମର ସନ୍ତୋଷ କୁମାର ସିଂ ଏବଂ ସୁଜିତ କୁମାର ସିଂ। ଏହି ଦୁଇ ବାଇକ ଲୁଟେରା ସପନଚୁଆ ଅଞ୍ଚଳରୁ ଗତ ୨୮ ତାରିଖ ରାତିରେ ବାଇକ ଚୋରି କରିବାକୁ ଆସି ଦୁଇ ଗୋଟି ବାଇକ ଚୋରି କରି ନେଇଯାଇଥିବା ବେଳେ ନିଜ ବାଇକକୁ ଛାଡି ଯାଇଥିଲେ। ଯାହାକୁ ଆଧାର କରି ପୋଲିସ ତଦନ୍ତ କରି ଦୁଇ ଲୁଟେରାଙ୍କୁ ଗିରଫ କରିଛି। ହେଲେ ଏହି ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଫେରାର ରହିଥିବା ବେଳେ ପୋଲିସ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏହି ଲୁଟେରାମାନେ ବାଇକ ଗୁଡିକୁ ନେଇ ପଶ୍ଚିମବଙ୍ଗ, ଝାରଖଣ୍ଡ ଆଦି ଅଞ୍ଚଳରେ ବିକ୍ରି କରୁଥିଲେ। ଲୁଟେରାମାନେ ବାରିପଦା ଟାଉନ, କୁଳିଅଣା, ବଡ଼ସାହି, ଉଦଳା, ଖୁଣ୍ଟା, ବାଙ୍ଗିରିପୋଷି ଭଳି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଚୋରି କରୁଥିଲେ |

