ଛୋଟ ଛୁଆ ଓ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଘାତକ ସାଜୁଛି HMPV ଭାଇରସ
ଭୟଭୀତ ନହେବାକୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ
ଛୋଟ ଛୁଆ ଓ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଘାତକ ସାଜୁଛି HMPV ଭାଇରସ | ସେପଟେ ଏ ପର୍ଯ୍ୟନ୍ତ ଭାରତରେ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ରହିଛନ୍ତି, ତେଣୁ ଲୋକମାନଙ୍କ ମନରେ ଚିନ୍ତା ଆଉ ଭୟ ପଶିଛି ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଭୟଭୀତ ନହେବାକୁ ଅନୁରୋଧ କରିଛନ୍ତି।
ତେବେ ଏହି ଚୀନ୍ ଭୂତାଣୁ କେତେ ମାରାତ୍ମକ ? ଏହାର ଲକ୍ଷଣ କଣ ? ସବୁଠୁ ଗୁରୁତ୍ବପୂର୍ଣ୍ଣ ଏବଂ ଚିନ୍ତାଜନକ ହେଉଛି ଯେ, ଏହି ଭାଇରସ୍ ଶିଶୁଙ୍କୁ ଅଧିକ ପରିମାଣରେ କାହିଁକି ଆକ୍ରାନ୍ତ କରୁଛି।
ବିଶେଷଜ୍ଞମାନଙ୍କ ମତ ଅନୁସାରେ ଏହି ଜୀବାଣୁ କୌଣସି ନୂଆ ନୁହେ ବରଂ ପୂର୍ବରୁ ୨୦୦୧ରେ ଏହି ଭୂତାଣୁ ପ୍ରଥମ ଥର ପାଇଁ ଠାବ ହୋଇଥିଲା
ଯାହାର ଲକ୍ଷଣ ଠିକ୍ କରୋନା ଭଳି। କାଶ, ଛିଙ୍କ ସହ ପାଟି ଓ ନାକରୁ ନିର୍ଗତ ତରଳ କଣିକା ଦ୍ବାରା ଏହା ବ୍ୟାପିଥାଏ। ଆକ୍ରାନ୍ତଙ୍କ ଠାରେ ଥଣ୍ଡା, କାଶ, ତଣ୍ଟି ବ୍ୟଥା, ନାକ ବନ୍ଦ, ନିଶ୍ବାସ ନେବାରେ କଷ୍ଟ ଅନୁଭବ ଏବଂ ଜ୍ବର ଭଳି ଲକ୍ଷଣ ଦେଖାଦିଏ |
ତେବେ କୋଭିଡ-19 ଭୂତାଣୁରେ ଶିଶୁଙ୍କ ସଂକ୍ରମିତ ହେବା ଆଶଙ୍କା କମ୍ ଥିବା ବେଳେ HMPVରେ କିନ୍ତୁ ୫ ବର୍ଷର ତଳକୁ ପିଲା ବେଶି ଆକ୍ରାନ୍ତ ହେଉଛନ୍ତି। ଆଉ ଏହି ଭୂତାଣୁକୁ ନଡରି ସଂକ୍ରମଣରୁ ବର୍ତ୍ତିବା ପାଇଁ ହାତକୁ ବାରମ୍ୱାର ସଫା କରନ୍ତୁ। ଆକ୍ରାନ୍ତଙ୍କଠାରୁ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧନ୍ତୁ।
ଅନ୍ୟପଟେ କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ଏଥିପାଇଁ ଗାଇଡଲାଇନ୍ ଜାରି କରିସାରିଛନ୍ତି। ମାସ୍କ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
